Tuesday 3 July 2012

Hirakud Compensation & Rehabilitation : Search displaced families & pay compensation as you searched them while driving them out - No such cruel joke after 60 years of completion of Hirakud


ଖୋଜି ଖୋଜି ତଡିଦେଲ , ଖୋଜି ଖୋଜି କ୍ଷତିପୂରଣ ଦିଅ


ଆମେ ୩ ସେପ୍ଟେମ୍ବର ୨୦୧୧ତାରିଖର ସଂବାଦପତ୍ରରେ ସମ୍ବଲପୁର ଜିଲ୍ଲାପାଳଙ୍କ ସର୍ବସାଧାରଣ ନୋଟିସଦେଖିବାକୁ ପାଇଲୁ। ହୀରାକୁଦ ନଦୀବନ୍ଧ ଦ୍ଵାରା ବିସ୍ଥାପିତ ଲୋକଙ୍କୁ ସେମାନଙ୍କ  ବାକିଥିବା କ୍ଷତିପୂରଣ/ ଅନୁଗ୍ରହ ରାଶି ଦେବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛନ୍ତି। ବିଜ୍ଞାପ୍ତି ପ୍ରକାଶ ପାଇବାର  ୩୦ ଦିନ ମଧ୍ୟରେ ଦରଖାସ୍ତ ନ ଦେଲେ ପରେ କ୍ଷତିପୂରଣ ସମ୍ବନ୍ଧୀୟ ଦରଖାସ୍ତ ଗ୍ରହଣ କରାଯିବ ନାହିଁ ଉଲ୍ଲେଖ କରାଯାଇଛି। 

ଏହି ନୋଟିସ ପଢିଲା ପରେ, ଆମେ କ୍ଷତିପୂରଣ ସମ୍ପର୍କରେ କେତେକ ବିଷୟ ସରକାରଙ୍କ ଦୃଷ୍ଟିକୁ ଆଣୁଛୁ। ୧୯୫୫ରୁ ଆଜିସୁଦ୍ଧା  କ୍ଷତିପୂରଣ ନ ପାଇ ଯେଉ ଅଭାଗା ବିସ୍ଥାପିତ ଲୋକେ ଦାଣ୍ଡର ଭିକାରି ହେଲେଣି, ସେମାନେ ସଂବାଦପତ୍ର ପଢି କ୍ଷତିପୂରଣ ସମ୍ପର୍କରେ ଜାଣିବାର ଅବକାଶ ନାହିଁ। ୧୯୫୫ରେ ବିସ୍ଥାପିତ ଲୋକଙ୍କ ମଧ୍ୟରୁ ଅନେକେ ଆରପାରିକୁ ଗଲେଣି, ଅନେକେ ଅନ୍ୟ ପ୍ରଦେଶରେ ଅଛନ୍ତି। ଅନେକେ ଛତିଶଗଡର ସୀମାନ୍ତ  ଗାଁ,ସହର ମାନଙ୍କରେ ରହୁଛନ୍ତି। ସେମାନେ ସଂବାଦପତ୍ର ପଢି ୩୦ ଦିନମଧ୍ୟରେ ଦରଖାସ୍ତ କରିବେ କେମିତି ? ଯଦି ସରକାର ଚାହୁଛନ୍ତି ଦୋଷ ଛଡେଇବା ପାଇଁ, ତାହେଲେ ଏହି ପ୍ରକାର ନୋଟିସ ଦିଆଯାଇପରେ। କ୍ଷତିପୂରଣ ଦେବା ସକାଶେ ଇଛାଶକ୍ତି ଥିଲେ, ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଖୋଜିବାକୁ ଅନୁରୋଧ। ସର୍ବସାଧାରଣ ନୋଟିସ କେହି ପଢିପାରିବେ ନାହିଁ  କିମ୍ବା ଜାଣିପାରିବେ ନାହିଁ। ସୂଚନାଯୋଗ୍ୟଯେ, ହୀରାକୁଦ ବିସ୍ଥାପିତମାନଙ୍କୁ ୧୯୫୫ରେ, ୧୯୫୬ରେ ଖୋଜି ଖୋଜି ତଡିଦିଆଯାଇଥିଲା। ଏଥିପାଇଁ ପୋଲିସର ସାହାଯ୍ୟ ନିଆଯାଇଥିଲା। ଢେଙ୍କାନାଳରୁ ପୋଲିସ ଆସିଥିଲେ। ଓଡିଶା ବିଧାନସଭା ବିବରଣୀରେ ଏହା ଲିପିବଦ୍ଧ ଅଛି। ବିନା କ୍ଷତିପୂରଣରେ ଯେଉଁମାନେ ତଡାଖାଇଲେ, ସେମାନଙ୍କଭିତରୁ ଅନେକେ ଦାଣ୍ଡର ଭିକାରି ହେଲେ।  ଖୋଜି  ଖୋଜି   ସେମାନଙ୍କୁ ତଡାଗଲା, ଏବେ ଖୋଜି ଖୋଜି କ୍ଷତିପୂରଣ ଦିଆଯାଉ।ବିସ୍ଥାପିତମାନଙ୍କୁ କ୍ଷତିପୂରଣ/ ଅନୁଗ୍ରହ ରାଶି ଦିଆଯିବ ବୋଲି ଉଲ୍ଲେଖ ଅଛି। ଅନୁଗ୍ରହ ରାଶି କାହାକୁ ଦେବେ? ଯାହାର ଜମି ବୁଡିଛି, ତାହାକୁ ଅନୁଗ୍ରହ ରାଶି? ଅନ୍ୟ ଯୋଜନାପାଇଁ ଯେମିତି କ୍ଷତିପୂରଣ ଦିଆଯାଏ , ହୀରାକୁଦ  ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦିଆଯାଉ। ଯେଉଁମାନେ ଦେଶପାଇଁ ତ୍ୟାଗ କଲେ ସେମାନଙ୍କୁ ଅନୁଗ୍ରହ ରାଶି ? ଏହାକୁ ଅନୁଗ୍ରହ ରାଶି କହିବା ଉଚିତ ହେବ ନାହିଁ । ସେମାନଙ୍କୁ ଉପହାସ କରା ନ ଯାଉ । ନୋଟିସରେ କେତେ ଦରରେ କ୍ଷତିପୂରଣ ଦିଆଯିବ ଊଲ୍ଲେଖ କରାଯାଇନାହିଁ। ଆମେ ଜାଣିବାରେ   ଜମି ଏକର ପିଛା ଦଶହଜାର ଟଙ୍କା ହିସାବରେ ଦିଆଯିବ। ବିସ୍ଥାପିତମାନଙ୍କମଧ୍ୟରୁ କେତେଜଣ ଶହେ ଟଙ୍କା ଲେଖାଏଁ ପାଇବେ। ଏହା ହାସ୍ୟାସ୍ପଦ ନୁହେଁ କି? ଶହେଟଙ୍କା ପାଇବାକୁ ଜଣେ ଆସିବାପାଇଁ କେତେ ଶହଟଙ୍କା କାହିଁକି ଖର୍ଚ୍ଚ କରିବ ? ଶହେଟଙ୍କାରୁ କମ ପାଉଥିବା ବିସ୍ଥାପିତମାନଙ୍କୁ କୁଆଡେ ଲିଷ୍ଟରୁ ବାଦ ଦିଆଯାଇଛି। ଅନେକଙ୍କ କୂଅ, ଗଛ ଆଦିକୁ କ୍ଷତିପୂରଣ ଦେବାକୁ ବାଦ ଦିଆଯାଇଛି । ଆଗ ଦରରେ ଗଛପିଛା ଚାରି ପାଞ୍ଚ ଟଙ୍କା ଦେବା ସେମାନଙ୍କ ପ୍ରତି ଉପହାସ ହେବ ମନେକରି ବୋଧହୁଏ ଆଉ ଗଛ ପାଇଁ କ୍ଷତିପୂରଣ ଦିଆଯିବନାହିଁ। ଏବେ ଯଦି କ୍ଷତିପୂରଣ ଦେବାକୁ ମନସ୍ଥ କରିଛନ୍ତି, ଉଚିତ ଦରରେ କାହିଁକି ଦିଆ ନ ଯିବ ? କେନ୍ଦ୍ର ସରକାର ଲେଣ୍ଡ ଏକ୍ୟୁଜିସନ ଏକ୍ଟ ୧୮୯୪ କୁ ସଂଶୋଧନ କରିବାକୁ ଯାଉଛନ୍ତି । ନୂତନ ଆଇନ ଅନୁସାରେ ସମ୍ବବତଃ ବଜାରଦରର ଚାରିଗୁଣ ହିସାବରେ ଜମିପାଇଁ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ମିଳିବ। ସରକାରଙ୍କୁ ଅନୁରୋଧ କରୁଛୁ, ଜମି ଦର ସଂଶୋଧନ କରାଯାଉ। ବଜାର ଦରର ଚାରିଗୁଣ ହିସାବରେ କ୍ଷତିପୂରଣ ଦିଆଯାଉ।  ଆମର ଗୋଟିଏ ଢଗ ଅଛି, “ଅଦିଆ ଦିଅଇ ଦାନ, ମୂଷା ଲେଣ୍ଡି ପରିମାଣ।“ ଏହିଭଳି ଦାନ ଦିଆ ନ ଯାଉ। ଅନୁଗ୍ରହ ରାଶି କୁହା ନ ଯାଉ। ନିର୍ଦିଷ୍ଟ ସମୟ ସୀମା ୩୦ଦିନ ନ ରହୁ। ବିସ୍ଥାପିତମାନଙ୍କୁ ଖୋଜି ଖୋଜି ବାହାର କରାଯାଉ ଓ ଉଚିତ ଦରରେ କ୍ଷତିପୂରଣ ଦିଆଯାଉ।

·       ଧରିତ୍ରୀସମାଜ
ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ       







Monday 2 July 2012

Vir Surendra Sai University Of Technology , Burla , Sambalpur

ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି

ଇଉନିଭର୍ସିଟି କଲେଜ ଅଫ ଇଞ୍ଜିନିୟରିଂ ୧୯୫୬ ଅଗଷ୍ଟ ୧୨ ତାରିଖରେ ବୁର୍ଲାରେ ସ୍ଥାପିତ ହେଲା । ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ଥିଲା । ୧୯୬୭ ଜାନୁୟାରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଲା। ସୂଚନାଯୋଗ୍ୟ ଯେ ୧୯୬୭ ଜାନୁୟାରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲା। ବୁର୍ଲା ସହର ସମ୍ବଲପୁର ସହରଠାରୁ ମାତ୍ର ଦଶ କିଲୋମିଟର ଦୂର। ଭୂବନେଶ୍ଵର, କୋଲକାତା ସହିତ ବୁର୍ଲା ସହର ରେଳପଥ, ରାସ୍ତା ପଥଦ୍ଵାରା ଯୋଗାଯୋଗ ସୁବ୍ୟବସ୍ଥା ରହିଛି। ହୀରାକୁଦ ରେଳ ଷ୍ଟେସନଠାରୁ କଲେଜର ଦୂରତା ମାତ୍ର ଦୁଇ କିଲୋମିଟର।

୧୯୪୮ ଏପ୍ରିଲ ୧୨ ତାରିଖରେ ପଣ୍ଡିତ ଜବାହରଲାଲ ନେହେରୁ ହୀରାକୁଦ ନଦୀବନ୍ଧ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ହୀରାକୁଦ ଯୋଜନା ନିର୍ମାଣ ସକାଶେ ସେହି ସମୟରେ ଓଡିଶା ବାହାରୁ ଅନେକ ଇଞ୍ଜିନିୟର, କୁଶଳୀ କାରିଗର ଆସିଥିଲେ। ଓଡିଶାର ଅଳ୍ପ ସଂଖ୍ୟକ ଇଞ୍ଜିନିୟର ହୀରାକୁଦ ଯୋଜନାରେ ନିୟୋଜିତ ହେଲେ। ଓଡିଶାରେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ଥିଲା। କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜା ଓଡିଶାରେ ଏକ ଇଞ୍ଜିନିୟରିଂ କଲେଜ ଖୋଲିବାପାଇଁ ପ୍ରୟାସ କଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡାଃ ହରେକୃଷ୍ଣ ମହତାବ ଏହି ପ୍ରସ୍ତାବକୁ ଗ୍ରହଣକରି ଯୋଜନାରେ ଅନ୍ତର୍ଭୁକ୍ତ କଲେ। AICTE  ବୁର୍ଲା ଇଞ୍ଜିନିୟରିଂ କଲେଜ ସକାଶେ ଭାରତ ସରକାରଙ୍କୁ ନିମ୍ନମତେ ସୁପାରିଶ କରିଥିବା ଜଣାଯାଏ। କଲେଜଗୃହ ସକାଶେ ୧୨,୧୮,୦୦୦ ଟଙ୍କା, ଉପକରଣ ଆଦି  ସକାଶେ ୨୫,୫୦,୦୦୦ ଟଙ୍କା, ହଷ୍ଟେଲ ନିର୍ମାଣ  ସକାଶେ ବିନାସୁଧରେ ଋଣ ୪,୬୮,୦୦୦ ଟଙ୍କା, ଷ୍ଟାଫମାନଙ୍କ ଘର ସକାଶେ ସୁଧସହିତ ଋଣ  ୭,୨୦,୦୦୦ ଟଙ୍କାର  ବ୍ୟବସ୍ଥା କରାଯାଇଥିଲା। ଇଞ୍ଜିନିୟରିଂ କଲେଜର ସ୍ଥାନ ନିରୂପଣରେ ଓଡିଶାରେ ବୁର୍ଲା ହିଁ ଉପଯୁକ୍ତ ସ୍ଥାନ ହିସାବରେ ଅଗ୍ରଣୀ ରହିଲା। ଓଡିଶାରେ ଅନ୍ୟ କୌଣସି ସ୍ଥାନ ଉପଯୁକ୍ତ ନ ଥିଲା। ବୁର୍ଲାରେ ଓ ତା ପାଖରେ ହୀରାକୁଦ ବନ୍ଧ, ଜଳବିଦ୍ୟୁତ କେନ୍ଦ୍ର, ଇଣ୍ଡଲ, ଆଲିଣ୍ଡ ଏବଂ ଅନ୍ୟ କାରଖାନା ଆଦିର ଅବସ୍ଥିତି ଯୋଗୁଁ ବୁର୍ଲାର ପ୍ରାଧାନ୍ୟ  ରହିଲା।

ହୀରାକୁଦ ନଦୀବନ୍ଧ ନିର୍ମାଣ କାମ ସରି ଆସୁଥିବା ବେଳେ, ଓଡିଶାର ପ୍ରଥମ ଇଞ୍ଜିନିୟରିଂ କଲେଜ ଜନ୍ମ ନେଲା। ତତ୍କାଳୀନ ରାଜ୍ୟପାଳ ପି ଏସ କୁମାରସ୍ଵାମୀ ରାଜା ଏହି କଲେଜକୁ ୧୨ ଅଗଷ୍ଟ ୧୯୫୬ରେ ଉଦଘାଟଣ କରିଥିଲେ। ପ୍ରଥମ ବେଚରେ ୬୦ ଜଣ ଛାତ୍ର ଏବଂ ଦ୍ଵିତୀୟ ବେଚରେ ୧୨୦ ଜଣ ଛାତ୍ର ନାମ ଲେଖେଇଲେ।

ଅନୁଷ୍ଠାନ ଯେଉଁଭଳି ଆରମ୍ଭ ହୋଇଥିଲା, ଏବେ ସେଇକଥା ଭାବିଲେ ଆଶ୍ଚର୍ଯ ଲାଗେ। ହିରାକୁଦ ଡେମ ପ୍ରୋଜେକ୍ଟର କମ୍ୟୁନିଟି ସେଣ୍ଟର କ୍ଳାସରୁମ ଭାବେ ବ୍ୟବହାର ହେଲା । ମେଡିକାଲର ଗୋଟିଏ ସେଡ଼ ଘର ୱାର୍କସପ ଭାବେ ବ୍ୟବହାର କରାଗଲା। ୨୦ଟି ଏଜବେଷ୍ଟସ ଛାତଥିବା ଏଫ ଟାଇପ କ୍ଵାଟର ହଷ୍ଟେଲ ଭାବେ ଠିକ କରାଗଲା ଓ ଛାତ୍ରମାନେ ରହିଲେ। କଲେଜ ଷ୍ଟାଫ ଡେମ ପ୍ରୋଜେକ୍ଟର କ୍ଵାଟରମାନଙ୍କରେ ରହିଲେ। ଡାଃ ପ୍ରାଣକୃଷ୍ଣ ପରିଜାଙ୍କ ଅନୁରୋଧରେ କଟକ ଇଞ୍ଜିନିୟରିଂ ସ୍କୂଲରୁ ଅବସରପ୍ରାପ୍ତ ୱାର୍କସପ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସୁଧୀର ଦତ୍ତ ସ୍ପେଶାଲ ଅଫିସର ଭାବେ ଯୋଗଦାନ କଲେ । କିଛିସମୟ ପରେ ପ୍ରୋଫେସର ଭୁବନେଶ୍ଵର ବେହେରା ଇଞ୍ଜିନିୟରିଂ କଲେଜରେ ଯୋଗଦାନ କଲେ । କଲେଜର ପ୍ରଥମ ପ୍ରିନସିପାଲ ଭାବେ ପ୍ରୋଫେସର ଭାଗବତ ପ୍ରସାଦଙ୍କ ଯୋଗଦେବା ପର୍ଯ୍ୟନ୍ତ ପ୍ରୋଫେସର ବେହେରା କଲେଜ ପରିଚାଳନା କରୁଥିଲେ।

କଲେଜ ଆରମ୍ଭହେବା ସମୟରେ ହୋଷ୍ଟେଲରେ ଚେୟାର, ଟେବୁଲ, ଖଟ ଆଦି କିଛି ନଥିଲା । ଆସ୍ତେ ଆସ୍ତେ ଗୋଟିଏ ଏଫ ଟାଇପ ଘରକୁ ଛାତ୍ରଙ୍କ ମେସ ରୂପେ ପରିବର୍ତ୍ତିତ କରାଗଲା ଓ ମେସ ସୂଚାରୁରୂପେ  ଚାଲିଲା। ହୀରାକୁଦ ଡେମ କର୍ତ୍ତୁପକ୍ଷ ପ୍ରୋଜେକ୍ଟ ୱାର୍କସପକୁ ଇଞ୍ଜିନିୟରିଂ ଛାତ୍ରମାନଙ୍କ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ପ୍ରୋଜେକ୍ଟରୁ  ଇଞ୍ଜିନିୟରମାନେ ପାର୍ଟଟାଇମ ବା ସାମାୟିକ ଶିକ୍ଷକଭାବେ ଆସିଲେ। ହୀରାକୁଦ ଯୋଜନାର ମୁଖ୍ୟଯନ୍ତ୍ରୀ ଥିରୁମଲ୍ଲ ଆୟଙ୍ଗାର କଲେଜର ପ୍ରଥମ କ୍ଳାସ ନେଇଥିଲେ। କେତେକ ପୁରାତନ ଛାତ୍ର ଆଜି ପର୍ଯ୍ୟନ୍ତ ସେଇକଥା ମନେରଖିଛନ୍ତି । ଥିରୁମଲ୍ଲ ଆୟଙ୍ଗର ଏହି କଲେଜକୁ ଅନେକ ସାହାଯ୍ୟ ସହଯୋଗ କରିଥିଲେ।

ପ୍ରୋଫେସର ପ୍ରସାଦ ଏବଂ ପ୍ରୋଫେସର ବେହେରାଙ୍କ ପ୍ରଚେଷ୍ଟାରେ ଓ ତାଙ୍କର ଅନୁରୋଧରେ କଲେଜପାଇଁ ମୁଖ୍ୟଯନ୍ତ୍ରୀ ଆୟଙ୍ଗର ଜମି ବ୍ୟବସ୍ଥା କଲେ । କଲେଜବିଲ୍ଡିଂ ର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ଏପ୍ରିଲ ୧୯୫୭ରେ। କଲେଜର ନିର୍ମାଣ କରିଥିଲେ ମେଜର୍ସ ଗେନୋନ ଡଙ୍କାର୍ଲେ ଏବଂ ଡିଜାଇନ କାମର ଦାୟିତ୍ଵ ନେଇଥିଲେ ବଳର୍ଦୀ ଥମ୍ପସନ ଏବଂ ମାଥିଉସ। କଲେଜ ନିର୍ମାଣ ୧୯୫୮ ରେ ସରିଲା। ଭାରତ ସରକାରଙ୍କ ତତ୍କାଳୀନ ମନ୍ତ୍ରୀ ହୁମାୟୁନ କବୀର ୪ ଜୁଲାଇ ୧୯୫୯ ରେ କଲେଜ ବିଲ୍ଡିଂ ଉଦଘାଟନ କଲେ । ଇଉନିଭର୍ସିଟି କଲେଜ ଅଫ ଇଞ୍ଜିନିୟରିଂକୁ ବିଭିନ୍ନ ସମୟରେ ଅନେକ ମହାନ ବ୍ୟକ୍ତି ପରିଦର୍ଶନ କରିଛନ୍ତି । ଫ୍ରୋଣ୍ଟିଅର ଗାନ୍ଧୀ , ବି ଡ଼ି ଜତ୍ତି , ଧ୍ୟାନଚାନ୍ଦ , ଡାଃ ତ୍ରିଗୁଣା ସେନ, ଡାଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାଏକ ପରିଦର୍ଶନ କରିଥିଲେ । ପ୍ରୋଫେସର ବି ମହାପାତ୍ର ୧୯୬୨ରୁ ୧୯୬୯ ପର୍ଯ୍ୟନ୍ତ କଲେଜର ପ୍ରିନ୍ସିପ୍ଯାଲ ଭାବେ ସୂଚାରୁ ରୂପେ ପରିଚାଳନା କରିଥିଲେ।

ଶିକ୍ଷା ଓ ଗବେଷଣାରେ ଉନ୍ନତ  ମାନକୁ  ବିବେଚନା କରି ଇଉନିଭର୍ସିଟି ଗ୍ରାଣ୍ଟ୍ସକମିଶନ କଲେଜକୁ ୧୯୯୨ରେ ଏକାଡ଼େମୀ ଅଟୋନୋମୀ ମାନ୍ୟତା ପ୍ରଦାନ କଲେ। ସୂବର୍ଣ୍ଣ ଜୟନ୍ତୀ ଅବସରରେ ୨୦୦୯ରେ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରି ନାମ ପରିବର୍ତ୍ତନ କରାଗଲା।   ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ନାମରେ ନାମିତ ହେଲା । ଡିସେମ୍ବର ୧୮ ତାରିଖ ରେ ଏହା ବିଧାନସଭାରେ ଗୃହିତ ହେଲା । ଏହି କଲେଜରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବିଷୟରେ ୧୦୦୦୦ରୁ ଉର୍ଦ୍ଧ୍ଵ ଗ୍ରାଜୁୟେଟ ଇଞ୍ଜିନିୟର ଏବଂ ୨୦୦୦ରୁ ଉର୍ଦ୍ଧ୍ଵ ପୋଷ୍ଟ  ଗ୍ରାଜୁଆଟ ଇଞ୍ଜିନିୟର କୃତିତ୍ଵ ସହ ପାସ କରି ପୃଥିବୀର ବିଭିନ୍ନ ପ୍ରାନ୍ତରେ କର୍ମରତ ଓ ଅବସ୍ଥାପିତ ଅଛନ୍ତି । କାମ୍ପସ ଇଣ୍ଟରଭିୟୁ ମାଧ୍ୟମରେ ଅନେକ ମେଧାବୀ ଛାତ୍ର ଭଲ କମ୍ପାନୀରେ ଚାକିରି କରିବା ସୁଯୋଗ ପାଆନ୍ତି।

ଏହି କଲେଜକୁ ଆଇ. ଆଇ. ଟି ରେ ପରିଣତ କରିବାକୁ ଯାହା ଭିତ୍ତିଭୂମି ଆବଶ୍ୟକ, ସବୁକିଛି ଅଛି । କେନ୍ଦ୍ରସରକାର ୨୦୦୩ରେ
ଭାରତରେ ୫ଟି ଇଞ୍ଜିନିୟରିଂ କଲେଜକୁ ଉନ୍ନତମାନର କରି ଆଇ ଆଇ ଟି ରେ ପରିଣତ କରିବାକୁ ଘୋଷଣା କଲେ, ତଥାପି ଏହି କଲେଜ ସରକାରଙ୍କ ଦୃଷ୍ଟିରେ ଆସିଲା ନାହିଁ । ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିବାର ଜଣା ଯାଏ । ସୁବର୍ଣ୍ଣ ଜୟନ୍ତୀ ଅବସରରେ, ରାଜ୍ୟ ସରକାର ଏହି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କଲେ । ଆମ ମତରେ,  ବୀର ସୁରେନ୍ଦ୍ର ସାଏ କଲେଜ ଅଫ ଟେକନୋଲଜି ଭବିଷ୍ୟତରେ ଏକ ଅନ୍ତର୍ଜାତିକ ଅନୁଷ୍ଠାନରୂପେ ଉଭାହେବ । ସମସ୍ତେ ଏହା ଚାହାନ୍ତି । ପୃଥିବୀସାରା ଏହାର ସୁନାମ ବ୍ୟାପିଯିବ ।