କ୍ଷତିପୂରଣ ବଦଳରେ ଅନୁକମ୍ପା ?
ପୂର୍ବତନ ବିଧାୟକ ପ୍ରସନ୍ନ ପଣ୍ଡା ଙ୍କ ୨୨୭୬ ନମ୍ବର ପ୍ରଶ୍ନର ଉତ୍ତରରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ୨୬ ମାର୍ଚ୍ଚରେ ୧୯୮୭ରେ କହିଥିଲେ ଯେ, ୯୯୧୩ ରୟତ ଙ୍କ ଜମି ଦଖଲ କରିଥିଲେ ମଧ୍ୟ ସେମାନଙ୍କ କ୍ଷତିପୂରଣ ଦିଆଯାଇନାହିଁ। xxx ଏହି ଟଙ୍କା ରାଜସ୍ୱ ଆକାରରେ ଜମା ଗଚ୍ଛିତ ଅଛି।xxx କ୍ଷତିପୂରଣ ଦିଆଯିବ। ଏହା ବିଧାନସଭା ବିବରଣୀରେ ସ୍ଥାନିତ।
କ୍ଷତିପୂରଣ ଓ ଥଇଥାନ ସକାଶେ ହୀରାକୁଦ ବିସ୍ଥାପିତଙ୍କ ସକାଶେ ୧୯୮୯ରେ ଏକ ପ୍ରତିଶ୍ରୁତି କମିଟି ଗଠନ କରାଗଲା। ପୂର୍ବତନ ବିଧାୟକ ରାମଚନ୍ଦ୍ର ଉଲାକା ଏହାର ଚେୟାରମେନ ଥିଲେ। ସେହି କମିଟି ତାଙ୍କର ରିପୋର୍ଟ ୧୫ ଡିସେମ୍ବର ୧୯୮୯ ରେ ବିଧାନସଭାରେ ଉପସ୍ଥାପନା କଲେ। କମିଟିର ସୁପାରିଶ ଅନୁସାରେ, ମାର୍ଚ୍ଚ ୧୯୯୦ ସୁଦ୍ଧା କାର୍ଯ୍ୟକାରୀ କରିବା କଥା। ପ୍ରତିଶ୍ରୁତି କମିଟି ରିପୋର୍ଟରେ ୯୯୧୩ କ୍ଷ୍ୟତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳି ନ ଥିବାର ଉଲ୍ଲେଖ ଅଛି। ଆଜିସୁଦ୍ଧା କମିଟିର ସୁପାରିଶ କାର୍ଯ୍ୟକାରୀ କରାଗଲା ନାହିଁ।
୧୯୯୩ ରେ କ୍ଷତିପୂରଣ ଦେବା ସକାଶେ ଏକ ଉଚ୍ଚ ଶକ୍ତିସମ୍ପନ୍ନ କମିଟି ଗଠନ କରାଗଲା। ଉକ୍ତ କମିଟି କ୍ଷ୍ୟତିଗ୍ରସ୍ତ ଲୋକଙ୍କ ସଂଖ୍ୟା ୯୯୧୩ ରୁ ୮୭୪୪ କୁ ଖସେଇଦେଲେ। କାହିଁକି ଏହି ସଂଖ୍ୟା କମିଲା ଜଣାପଡୁନାହିଁ। କାରଣ ଆମେ ଜାଣିବାରେ ୧୯୮୯ରୁ ୧୯୯୩ ମଧ୍ୟରେ କାହାରିକୁ କ୍ଷତିପୂରଣ ଦିଆଯାଇନାହିଁ। ଯେହେତୁ ଜିଲ୍ଲା କଲେକ୍ଟର ଜମିଅଧିଗ୍ରହଣ ଓ କ୍ଷତିପୂରଣ ପାଇଁ ଥରେ ଆଦେଶ ଦେଇ ସାରିଛନ୍ତି, ଆଉ ଥରେ ଆଦେଶ ଦେଇପାରିବେ ନାହିଁ। ସେଥିପାଇଁ କ୍ଷତିପୂରଣ ବଦଳରେ ଅନୁକମ୍ପା ଦେଇପାରିବେ। ଆମେ ଯେତିକି ଜାଣିଛୁ, ଦୁସ୍ଥ ଲୋକଙ୍କୁ ଅନୁକମ୍ପା ଦିଆଯାଏ। ୟାର ଅର୍ଥ ହେଲା ଯେଉଁମାନେ ଦେଶର ହିତ ସକାଶେ ସର୍ବସ୍ଵ ତ୍ୟାଗ କଲେ ସେମାନେ ସରକାରଙ୍କ ଦୃଷ୍ଟିରେ ଦୁସ୍ଥ।
୧୯୯୩ ରେ ସେହି କମିଟି ଧାର୍ଯ୍ୟ କଲା କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୧୦ହଜାର ଟଙ୍କା ହିସାବରେ ଅନୁକମ୍ପା ଦିଆଯିବ। ୧୯୯୩ ରେ ଯେଉଁ ଦର ଧାର୍ଯ୍ୟ ହୋଇଥିଲା, ଆଜି ପର୍ଯ୍ୟନ୍ତ ୨୦୧୪ରେ ସେହି ଦରରେ ଅନୁକମ୍ପା ଧାର୍ଯ୍ୟ ହୋଇଛି। କମିଟି ସ୍ଥିର କଲେ ,ଯେଉଁ ମାନଙ୍କୁ ୧୦୦ ଟଙ୍କାରୁ କିମ୍ବା ତାହାଠାରୁ କମ ମିଳିବା କଥା ,ସେମାନଙ୍କୁ ବାଦ ଦିଆଯାଉ। ଜଣେ ବିସ୍ଥାପିତ ଗୋଟିଏ ଗଛକୁ ପାଞ୍ଚ ଟଙ୍କା ଦରରେ ନେବାକୁ କାହିଁକି ଆସିବ? ଉଚ୍ଚସ୍ତରୀୟ କମିଟି ସ୍ଥିର କଲେ କୁପ, ଗଛ, ଗୌନ୍ତି ଭାଗଦିଆଯିବ ନାହିଁ। ସେଥିଯୋଗୁଁ ଦୁସ୍ଥ ଲୋକଙ୍କ ସଂଖ୍ୟା ଆଉ ଥରେ ଖସିଲା ୮୭୪୪ ରୁ ୩୫୪୦କୁ। ସରକାର ଏବେ ଦୁସ୍ଥ ଲୋକଙ୍କୁ ଅନୁକମ୍ପା ମଧ୍ୟ ନ ଦେବା ପାଇଁ କୁଆଡେ ସ୍ଥିର କରିଛନ୍ତି। ଯେଉଁ ଦୁସ୍ଥ ଲୋକମାନେ ସମ୍ବାଦପତ୍ରରେ ବିଜ୍ଞାପନ ଦେଖି ପାରିଲେ ନାହିଁ, କିମ୍ବା ଅନୁକମ୍ପା ନେବାକୁ ଆସିଲେ ନାହିଁ, ସେମାନଙ୍କୁ ଆଉ ଅନୁକମ୍ପା ଦିଅଯାଇପାରିବ ନାହିଁ। ଟଙ୍କା ଫେରାଇଦିଆଗଲା। ସରକାର ଙ୍କ ଏ କି ପ୍ରକାର ନିଷ୍ପତ୍ତି? ସେମାନେ ସମ୍ବାଦପତ୍ରରେ ବିଜ୍ଞାପନ ଦେଖିବେ କେମିତି? ବିସ୍ଥାପିତ ଙ୍କ ବଂଶଧର କିଏ ରହୁଛି ଛତିଶଗଡରେ,ଆଉ କିଏ ଝାଡଖଣ୍ଡରେ।
ପ୍ରସନ୍ନ ପଣ୍ଡା ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ଙ୍କ ସହିତ ୧୭ ଡିସେମ୍ବର ୧୯୯୬ରେ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ। ସେଇ ସଭା ରେ ସ୍ଥିର ହୋଇଥିଲା, କଲେକ୍ଟର ସ୍ତରରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବା ସକାଶେ ସ୍ପେସିଏଲ ସେଲ ଗଠନ କରାଯିବ । କାହିଁକି ଆଜି ପର୍ଯ୍ୟନ୍ତ ସେଲ ଗଠନ କରାଯାଇନାହିଁ। ସରକାର ଭୁଲି ଯାଉଛନ୍ତି, ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୁରଣ ନ ଦେବାପର୍ଯ୍ୟନ୍ତ ଆଉ କୌଣସି ଡେମ ନିର୍ମାଣ କରିବା ଅସମ୍ଭବ।
୧୯୫୫-୫୬ ରେ ବିସ୍ଥାପିତମାନଙ୍କୁ ଖୋଜି ଖୋଜି ବିନା କ୍ଷତିପୂରଣରେ ତାଙ୍କ ଭିଟାମାଟିରୁ ବେଦଖଲ କରଯାଇଥିଲା। ପୋଲିସ ସାହାଯ୍ୟରେ ତଡିଦିଆଗଲା। ଯେଉଁମାନେ ଦେଶ ପାଇଁ ତ୍ୟାଗ କରିଛନ୍ତି, ସେମାନଙ୍କୁ ଅନୁକମ୍ପା ନ ଦେଇ କ୍ଷତିପୂରଣ ଦିଆଯାଉ। ସମ୍ବାଦପତ୍ର ବିଜ୍ଞାପନ ମାଧ୍ୟମରେ ନୁହେଁ, ଖୋଜି ଖୋଜି କ୍ଷତିପୂରଣ ଦିଆଯାଉ।