Tuesday, 3 July 2012

Hirakud Compensation & Rehabilitation : Search displaced families & pay compensation as you searched them while driving them out - No such cruel joke after 60 years of completion of Hirakud


ଖୋଜି ଖୋଜି ତଡିଦେଲ , ଖୋଜି ଖୋଜି କ୍ଷତିପୂରଣ ଦିଅ


ଆମେ ୩ ସେପ୍ଟେମ୍ବର ୨୦୧୧ତାରିଖର ସଂବାଦପତ୍ରରେ ସମ୍ବଲପୁର ଜିଲ୍ଲାପାଳଙ୍କ ସର୍ବସାଧାରଣ ନୋଟିସଦେଖିବାକୁ ପାଇଲୁ। ହୀରାକୁଦ ନଦୀବନ୍ଧ ଦ୍ଵାରା ବିସ୍ଥାପିତ ଲୋକଙ୍କୁ ସେମାନଙ୍କ  ବାକିଥିବା କ୍ଷତିପୂରଣ/ ଅନୁଗ୍ରହ ରାଶି ଦେବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛନ୍ତି। ବିଜ୍ଞାପ୍ତି ପ୍ରକାଶ ପାଇବାର  ୩୦ ଦିନ ମଧ୍ୟରେ ଦରଖାସ୍ତ ନ ଦେଲେ ପରେ କ୍ଷତିପୂରଣ ସମ୍ବନ୍ଧୀୟ ଦରଖାସ୍ତ ଗ୍ରହଣ କରାଯିବ ନାହିଁ ଉଲ୍ଲେଖ କରାଯାଇଛି। 

ଏହି ନୋଟିସ ପଢିଲା ପରେ, ଆମେ କ୍ଷତିପୂରଣ ସମ୍ପର୍କରେ କେତେକ ବିଷୟ ସରକାରଙ୍କ ଦୃଷ୍ଟିକୁ ଆଣୁଛୁ। ୧୯୫୫ରୁ ଆଜିସୁଦ୍ଧା  କ୍ଷତିପୂରଣ ନ ପାଇ ଯେଉ ଅଭାଗା ବିସ୍ଥାପିତ ଲୋକେ ଦାଣ୍ଡର ଭିକାରି ହେଲେଣି, ସେମାନେ ସଂବାଦପତ୍ର ପଢି କ୍ଷତିପୂରଣ ସମ୍ପର୍କରେ ଜାଣିବାର ଅବକାଶ ନାହିଁ। ୧୯୫୫ରେ ବିସ୍ଥାପିତ ଲୋକଙ୍କ ମଧ୍ୟରୁ ଅନେକେ ଆରପାରିକୁ ଗଲେଣି, ଅନେକେ ଅନ୍ୟ ପ୍ରଦେଶରେ ଅଛନ୍ତି। ଅନେକେ ଛତିଶଗଡର ସୀମାନ୍ତ  ଗାଁ,ସହର ମାନଙ୍କରେ ରହୁଛନ୍ତି। ସେମାନେ ସଂବାଦପତ୍ର ପଢି ୩୦ ଦିନମଧ୍ୟରେ ଦରଖାସ୍ତ କରିବେ କେମିତି ? ଯଦି ସରକାର ଚାହୁଛନ୍ତି ଦୋଷ ଛଡେଇବା ପାଇଁ, ତାହେଲେ ଏହି ପ୍ରକାର ନୋଟିସ ଦିଆଯାଇପରେ। କ୍ଷତିପୂରଣ ଦେବା ସକାଶେ ଇଛାଶକ୍ତି ଥିଲେ, ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଖୋଜିବାକୁ ଅନୁରୋଧ। ସର୍ବସାଧାରଣ ନୋଟିସ କେହି ପଢିପାରିବେ ନାହିଁ  କିମ୍ବା ଜାଣିପାରିବେ ନାହିଁ। ସୂଚନାଯୋଗ୍ୟଯେ, ହୀରାକୁଦ ବିସ୍ଥାପିତମାନଙ୍କୁ ୧୯୫୫ରେ, ୧୯୫୬ରେ ଖୋଜି ଖୋଜି ତଡିଦିଆଯାଇଥିଲା। ଏଥିପାଇଁ ପୋଲିସର ସାହାଯ୍ୟ ନିଆଯାଇଥିଲା। ଢେଙ୍କାନାଳରୁ ପୋଲିସ ଆସିଥିଲେ। ଓଡିଶା ବିଧାନସଭା ବିବରଣୀରେ ଏହା ଲିପିବଦ୍ଧ ଅଛି। ବିନା କ୍ଷତିପୂରଣରେ ଯେଉଁମାନେ ତଡାଖାଇଲେ, ସେମାନଙ୍କଭିତରୁ ଅନେକେ ଦାଣ୍ଡର ଭିକାରି ହେଲେ।  ଖୋଜି  ଖୋଜି   ସେମାନଙ୍କୁ ତଡାଗଲା, ଏବେ ଖୋଜି ଖୋଜି କ୍ଷତିପୂରଣ ଦିଆଯାଉ।ବିସ୍ଥାପିତମାନଙ୍କୁ କ୍ଷତିପୂରଣ/ ଅନୁଗ୍ରହ ରାଶି ଦିଆଯିବ ବୋଲି ଉଲ୍ଲେଖ ଅଛି। ଅନୁଗ୍ରହ ରାଶି କାହାକୁ ଦେବେ? ଯାହାର ଜମି ବୁଡିଛି, ତାହାକୁ ଅନୁଗ୍ରହ ରାଶି? ଅନ୍ୟ ଯୋଜନାପାଇଁ ଯେମିତି କ୍ଷତିପୂରଣ ଦିଆଯାଏ , ହୀରାକୁଦ  ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦିଆଯାଉ। ଯେଉଁମାନେ ଦେଶପାଇଁ ତ୍ୟାଗ କଲେ ସେମାନଙ୍କୁ ଅନୁଗ୍ରହ ରାଶି ? ଏହାକୁ ଅନୁଗ୍ରହ ରାଶି କହିବା ଉଚିତ ହେବ ନାହିଁ । ସେମାନଙ୍କୁ ଉପହାସ କରା ନ ଯାଉ । ନୋଟିସରେ କେତେ ଦରରେ କ୍ଷତିପୂରଣ ଦିଆଯିବ ଊଲ୍ଲେଖ କରାଯାଇନାହିଁ। ଆମେ ଜାଣିବାରେ   ଜମି ଏକର ପିଛା ଦଶହଜାର ଟଙ୍କା ହିସାବରେ ଦିଆଯିବ। ବିସ୍ଥାପିତମାନଙ୍କମଧ୍ୟରୁ କେତେଜଣ ଶହେ ଟଙ୍କା ଲେଖାଏଁ ପାଇବେ। ଏହା ହାସ୍ୟାସ୍ପଦ ନୁହେଁ କି? ଶହେଟଙ୍କା ପାଇବାକୁ ଜଣେ ଆସିବାପାଇଁ କେତେ ଶହଟଙ୍କା କାହିଁକି ଖର୍ଚ୍ଚ କରିବ ? ଶହେଟଙ୍କାରୁ କମ ପାଉଥିବା ବିସ୍ଥାପିତମାନଙ୍କୁ କୁଆଡେ ଲିଷ୍ଟରୁ ବାଦ ଦିଆଯାଇଛି। ଅନେକଙ୍କ କୂଅ, ଗଛ ଆଦିକୁ କ୍ଷତିପୂରଣ ଦେବାକୁ ବାଦ ଦିଆଯାଇଛି । ଆଗ ଦରରେ ଗଛପିଛା ଚାରି ପାଞ୍ଚ ଟଙ୍କା ଦେବା ସେମାନଙ୍କ ପ୍ରତି ଉପହାସ ହେବ ମନେକରି ବୋଧହୁଏ ଆଉ ଗଛ ପାଇଁ କ୍ଷତିପୂରଣ ଦିଆଯିବନାହିଁ। ଏବେ ଯଦି କ୍ଷତିପୂରଣ ଦେବାକୁ ମନସ୍ଥ କରିଛନ୍ତି, ଉଚିତ ଦରରେ କାହିଁକି ଦିଆ ନ ଯିବ ? କେନ୍ଦ୍ର ସରକାର ଲେଣ୍ଡ ଏକ୍ୟୁଜିସନ ଏକ୍ଟ ୧୮୯୪ କୁ ସଂଶୋଧନ କରିବାକୁ ଯାଉଛନ୍ତି । ନୂତନ ଆଇନ ଅନୁସାରେ ସମ୍ବବତଃ ବଜାରଦରର ଚାରିଗୁଣ ହିସାବରେ ଜମିପାଇଁ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ମିଳିବ। ସରକାରଙ୍କୁ ଅନୁରୋଧ କରୁଛୁ, ଜମି ଦର ସଂଶୋଧନ କରାଯାଉ। ବଜାର ଦରର ଚାରିଗୁଣ ହିସାବରେ କ୍ଷତିପୂରଣ ଦିଆଯାଉ।  ଆମର ଗୋଟିଏ ଢଗ ଅଛି, “ଅଦିଆ ଦିଅଇ ଦାନ, ମୂଷା ଲେଣ୍ଡି ପରିମାଣ।“ ଏହିଭଳି ଦାନ ଦିଆ ନ ଯାଉ। ଅନୁଗ୍ରହ ରାଶି କୁହା ନ ଯାଉ। ନିର୍ଦିଷ୍ଟ ସମୟ ସୀମା ୩୦ଦିନ ନ ରହୁ। ବିସ୍ଥାପିତମାନଙ୍କୁ ଖୋଜି ଖୋଜି ବାହାର କରାଯାଉ ଓ ଉଚିତ ଦରରେ କ୍ଷତିପୂରଣ ଦିଆଯାଉ।

·       ଧରିତ୍ରୀସମାଜ
ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ