ସମୟ-ଉନ୍ମୋଚନ ବିଶେଷାଙ୍କ-୨୭.୫.୨୦୧୨ ଓଡିଆ ଭାଷାରେ ସମ୍ବଲପୁରୀ ଶବ୍ଦ ପ୍ରୟୋଗ ହେଲେ ଓଡିଆ ଭାଷା ସମୃଦ୍ଧ ହେବ |
ଓଡିଆ ଭାଷାରେ ସମ୍ବଲପୁରୀ ଶବ୍ଦ ପ୍ରୟୋଗ ହେଲେ ଓଡିଆ
ଭାଷା ସମୃଦ୍ଧ ହେବ
“ ଉପାନ୍ତ ଅଞ୍ଚଳରେ ଯେଉଁ କ୍ରମ ବର୍ଦ୍ଧିତ ଭାବରେ ଓଡିଆ ଭାଷାର କଥନ ଭଙ୍ଗୀ ଓ ଶବ୍ଦ ଉଚ୍ଚାରଣ ରୀତିରେ ବୈଷମ୍ୟ ଦେଖାଦେଲା, ତାହା ମୂଳ ଭାଷା ଠାରୁ ଦୂରକୁ ଅପସାରିତ ହେଲା ଓ ଉପ ଭାଷାରେ ପରିଣତ ହେଲା । ତଥାପି ସେହି ଉପ ଭାଷାମାନଙ୍କ ସାହାଯ୍ୟରେ ଓଡିଆ ସାହିତ୍ୟ ସମୃଦ୍ଧ ହୋଇପାରିବ କହିଲେ ଅତ୍ୟୁକ୍ତି ହେବନାହିଁ । “ ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ତାଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ ଓଡିଆ ଭାଷାର ଉପ ଭାଷାରେ’ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ଅବଶ୍ୟ ସମ୍ବଲପୁରୀ ଭାଷା ଓଡିଆ ଭାଷାର ଉପଭାଷା କିମ୍ବା କଥିତ ଭାଷା ନୁହେଁ । ସମ୍ବଲପୁରୀ ଭାଷା ଏକ ସ୍ଵୟଂ ସଂପୂର୍ଣ୍ଣ ଭାଷା । ବହୂ ବର୍ଷ ପୂର୍ବରୁ ଯଦି ଓଡିଆ ଭାଷାରେ ସମ୍ବଲପୁରୀ ଶବ୍ଦ ପ୍ରୟୋଗ ହେଉ ଥାଆନ୍ତା, ଆଜି ଓଡିଆ ଭାଷା ଆହୁରି ଅଧିକ ସମୃଦ୍ଧ ହୋଇଥାନ୍ତା , ସମ୍ବଲପୁରୀ ଭାଷା ମଧ୍ୟ ଅଧିକ ସମୃଦ୍ଧ ହୋଇଥାନ୍ତା। ଭାଷା ଭାଷା ମଧ୍ୟରେ ବିଭେଦ ସୃଷ୍ଟି ହୁଅନ୍ତା ନାହିଁ । ଓଡିଆ ଭାଷା ମରିବ କି ବଞ୍ଚିବ ବୋଲି ଯେଉଁ ମାନେ ଚିନ୍ତା କରନ୍ତି ସେମାନଙ୍କ ସହିତ ମୁଁ ଏକମତ ନୁହେଁ । ମୋ ମତରେ ଓଡିଆ ଭାଷା କେବେହେଲେ ମରିବ ନାହିଁ । ଆହୁରି ସମୃଦ୍ଧ ହେବ । ଇଂରାଜୀ ଭାଷାଠାରୁ ଓଡିଆ ଭାଷା ବହୁ ପୁରୁଣା । ଇଂରାଜୀ ଭାଷା ଯେଉଁ ଭଳି ଅନ୍ୟ ଭାଷାରୁ ଶବ୍ଦ ରାଶି ଗ୍ରହଣ କରି ଚାଲିଛି ଏବଂ ସମୃଦ୍ଧ ହେଉଛି , ଓଡିଆ ଭାଷା ମଧ୍ୟ ଅନ୍ୟ ଭାଷାରୁ ଶବ୍ଦ ଗ୍ରହଣ କରୁ ଓ ଉନ୍ନତ ହେଉ । ଓଡିଶା ଭିତରେ ପଶ୍ଚିମାଞ୍ଚଳରେ ଲୋକେ ଅନ୍ୟ ଭାଷା ବ୍ୟବହାର କରନ୍ତି । ଗଞ୍ଜାମ ଅଞ୍ଚଳରେ ଲୋକେ ଅନ୍ୟ ଭାଷାରେ କହନ୍ତି । ପୁରୀ ବୋଲି ର ସ୍ଵତନ୍ତ୍ରତା ଅଛି । ଓଡିଆ ଭାଷାରେ ଆରବୀ, ପାର୍ସି ଭାଷାର ଅନେକ ଶବ୍ଦ ମିଶିଛି । ଏପରିକି ତେଲୁଗୁ ଶବ୍ଦକୁ ଓଡିଆ ଶବ୍ଦ ଭାବେ ଗ୍ରହଣ କରା ଯାଇଛି । ଏଇଠି ଉଦାହରଣର ଆବଶ୍ୟକତା ନାହିଁ । ଯଦି ଆରବୀ, ପାର୍ସି ଶବ୍ଦ ଗ୍ରହଣ କରିବାରେ ଅସୁବିଧା ହେଲାନାହିଁ, ସମ୍ବଲପୁରୀ ଶବ୍ଦ ପ୍ରୟୋଗ କରିବାରେ ଅସୁବିଧା କଣ ?
ଏବେ ଅନେକ ଓଡିଆ ନିଉଜ ଚେନେଲ ଗୁଡିକରେ ସମ୍ବଲପୁରୀ ଭାଷାରେ ସମ୍ବାଦ ପରିବେଷଣ କରା ଯାଉଛି । ଆରମ୍ଭରେ କେତେକ ତ୍ରୁଟି ପରିଲକ୍ଷିତ ହେଉଛି । ଆଶା କରାଯାଏ , ସେହି ତ୍ରୁଟି ସବୁ ଦୂର ହେବ । କେତେକ ଓଡିଆ ସମ୍ବାଦପତ୍ରରେ ସମ୍ବଲପୁରୀ ଭାଷାରେ ଅଳ୍ପମାତ୍ରାରେ ସମ୍ବାଦ ପରିବେଷଣ ଆରମ୍ଭ କରା ଗଲାଣି । ବିଜ୍ଞ ସମ୍ପାଦକମାନଙ୍କର ଏହି ପ୍ରକାର ମାନସିକତା ରହିବା ଆବଶ୍ୟକ । ନିଶ୍ଚିତ ଭାବେ ସମସ୍ତ ଅଞ୍ଚଳ ପାଇଁ ଏହା ଏକ ଶୁଭ ସଂକେତ ।
ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ , “ ଖ୍ରୀ ୧୫ ଶତାବ୍ଦୀରେ ମୁଁ ଅର୍ଥରେ ମୁଇଁ ଶବ୍ଦ ବ୍ୟବହାର ହେଉଥିଲା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରସ୍ଥ ଜୟ ବିଜୟ ଦ୍ଵାର ସନ୍ନିକଟ ଭିତ୍ତି ଗାତ୍ରରେ ଗଜପତି ମହାରାଜାଙ୍କ ଓଡିଆ ଶିଳାଲିପି ରେ ଦ୍ଵିତୀୟ ଅଂଶରେ ନିମ୍ନ ମତେ ଉଲ୍ଲେଖ ଅଛି :
ମୁଇ ପାଇକ ରାଉତକୁ କରି ..... ବାଳକାଳୁ ପୋସି ଆଣିଲି । ଏମାନେ ମୋତେ ସବୁହେଁ ଛାଡିଲେ । ଏମାନଙ୍କୁ ମୁଇ ଯେ ଯାହା ଅନୁରୂପେ ବିହିବି । x x x
ଜଗନ୍ନାଥ ମନ୍ଦିରରେ ପୁରୁଷୋତ୍ତମ ଦେବଙ୍କ ଅନ୍ୟ ଏକ ଶିଳାଲେଖ ରେ ନିମ୍ନମତେ ଉଲ୍ଲେଖ ଅଛି :
“ ଏହା ନେମୀ ବୋଲି ଜେ ମନରେ ଧରଇ ସେ ଜଗନାଥ ଦେ(ବ)ଙ୍କ ଦ୍ରୋହ କରଇ । “
ଆଜି ସୁଦ୍ଧା ପଶ୍ଚିମାଞ୍ଚଳରେ ମୁଇ, ନେମି ଶବ୍ଦ ବ୍ୟବହୃତ ହୁଏ, କିନ୍ତୁ ଓଡିଆ ଭାଷାରେ ସେହି ଶବ୍ଦ ବ୍ୟବହାର କରାଗଲା ନାହିଁ କାହିଁକି ?
ହରପ୍ରସାଦ ଶାସ୍ତ୍ରୀ ୧୯୦୦ ମସିହାରେ ନେପାଳରୁ କେତେକ ବୌଦ୍ଧ ଧର୍ମ ଓ ତାନ୍ତ୍ରିକ ଗ୍ରନ୍ଥ ସଂଗ୍ରହ କରିଥିଲେ । ୧୯୧୬ ରେ ତହିଁ ମଧ୍ୟରୁ କେତୋଟି ପୁସ୍ତକ ସଂକଳନ କରି ‘ବୌଦ୍ଧଗାନ ଓ ଦୋହା’ ନାମରେ ଗ୍ରନ୍ଥଟିଏ ପ୍ରକାଶ କଲେ । ‘ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ’ ଏହି ଗ୍ରନ୍ଥର ଏକ ଅଂଶ । ‘ଚର୍ଯ୍ୟା ଚର୍ଯ୍ୟ ବିନିଶ୍ଚୟ’ରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ୪୬ଟି କବିତା ରହିଛି । ଏହାର ଲେଖକମାନେ ବଙ୍ଗୀୟ ଓ ଏହା ହଜାରେ ବର୍ଷ ତଳେ ବଙ୍ଗଳା ଭାଷାର ବୋଲି ହରପ୍ରସାଦ ଶାସ୍ତ୍ରୀ ମହୋଦୟ ମତ ଦେଇଛନ୍ତି । ‘ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ’ ର ପ୍ରତ୍ୟେକ କବିତାର ଭାବାର୍ଥ ସମ୍ପାଦନା କରି ଡକ୍ଟର କରୁଣାକର କର ଉକ୍ତ ପୁସ୍ତକକୁ ‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’ ଭାବେ ନାମିତ କରିଛନ୍ତି (ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ)। କରୁଣାକର କର ମହୋଦୟଙ୍କ ମତରେ ଏହି କବିତା ଗୁଡିକର ଭାଷା ପ୍ରାୟ ହଜାରେ ବର୍ଷ ତଳର ପ୍ରାଚୀନ ଓଡିଆ ଭାଷା । ସମୟ କାଳ ନିର୍ଣ୍ଣୟ କରିଛନ୍ତି ଅଷ୍ଟମ ଶତାବ୍ଦୀର ଶେଷ ଭାଗ ।
ପ୍ରକୃତରେ ଚର୍ଯ୍ୟାଗୀତିରେ ଓଡିଆ, ବଙ୍ଗଳା, ଆସାମୀୟା ଭାଷା ସ୍ଥାନ ପାଇଛି । ତାହା ସହିତ ସ୍ଥାନିତ ହୋଇଛି ସମ୍ବଲପୁରୀ ଭାଷା । ସିଦ୍ଧାଚାର୍ଯ୍ୟ ଲେଖକମାନେ ଓଡିଶା ,ବଙ୍ଗଳା, ଆସାମର ବିଭିନ୍ନ ଅଞ୍ଚଳରୁ ଯାଇଥିଲେ। ସିଦ୍ଧାଚାର୍ଯ୍ୟ ମାନଙ୍କ ମଧ୍ୟରୁ ଲୁଇପା, ଦାରିପା, କମ୍ବଳପା ମଧ୍ୟଓଡିଶାର ବୋଲି ହରପ୍ରସାଦ ଶାସ୍ତ୍ରୀ ସ୍ଥିର କରିଛନ୍ତି । ଡାଃ ଜୟକାନ୍ତ ମିଶ୍ର କହନ୍ତି ଯେ, କାହ୍ନୁପା ନିଶ୍ଚିତ ଭାବେ ଓଡିଶାରେ ଜନ୍ମିତ । ପ୍ରକୃତରେ ଅନେକ ସିଦ୍ଧାଚାର୍ଯ୍ୟ ସୁବର୍ଣ୍ଣପୁର ଅଞ୍ଚଳରୁ ଯାଇଥିଲେ, ଯାହାକୁ ମଧ୍ୟଓଡିଶା କୁହାଯାଉଛି । ନିମ୍ନ ଲିଖିତ ଶବ୍ଦ ଚର୍ଯ୍ୟାଗୀତି ରେ ଦେଖିବାକୁ ମିଳେ:
ଜାନମି , ମାରମି, ଲେମି, ମାଝେ , ଆମହେ, ତୁମହେ, ରୁନ୍ଧେଲା, ସୁନ , କାହ୍ନୁ , ସଁଝ , ମାରସି ଆଦି ଅନେକ ଶବ୍ଦ
ଉପରୋକ୍ତ ଶବ୍ଦ ରାଶି ସମ୍ବଲପୁରୀ ଭାଷାରେ ଆଜି ସୁଦ୍ଧା ବ୍ୟବହୃତ ହେଉଛି , କିନ୍ତୁ ଓଡିଆ ଭାଷାରେ ହେଉନାହିଁ ।
ଜଗନ୍ନାଥ ଶିଳାଲେଖ ଓ ଚର୍ଯ୍ୟାଗିତୀ ସମ୍ପର୍କରେ ଉଲ୍ଲେଖ କରିବାର ତାପ୍ତର୍ଯ୍ୟ ହେଲା, ଏହା ପ୍ରମାଣିତ କରୁଛି ଯେ, ସମ୍ବଲପୁରୀ ଭାଷା ମଧ୍ୟ ଅତି ପ୍ରାଚୀନ । ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଗତ କେତେ ବର୍ଷ ହେଲା ସମ୍ବଲପୁର ଅଞ୍ଚଳରେ ଭାଷା ଆନ୍ଦୋଳନ ଚାଲୁଛି । ଭାଷାକୁ ସମ୍ବଲପୁରୀ କିମ୍ବା କୋଶଲୀ କୁହାଯାଇପାରେ । ପ୍ରଭେଦ ନାହିଁ । ମୋ ମତରେ , ଓଡିଆ ଭାଷାରେ ସମ୍ବଲପୁରୀ ଶବ୍ଦ ପ୍ରୟୋଗ କଲେ , ଓଡିଆ ଭାଷା ଅଧିକ ଆଦୃତ ଓ ସମୃଦ୍ଧ ହେବ। ତତ ସଙ୍ଗେ ସଙ୍ଗେ ସମ୍ବଲପୁରୀ ଭାଷାର ଆଦର ବହୁ ମାତ୍ରାରେ ବଢିବ ।
Published in Samaj -10.9.2012 |