ହୀରାକୁଦ ଜଳଭଣ୍ଡାରର କ୍ଷମତାବୃଦ୍ଧି ଏକ ଅବାନ୍ତର ପରିକଳ୍ପନା
ବିଭିନ୍ନ କଳକାରଖାନାଗୁଡିକୁ ହୀରାକୁଦ ଜଳଭଣ୍ଡାରରୁ ଜଳଯୋଗାଣ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନର ସୂତ୍ରପାତ ହୋଇ ସାରିଥିବା ବେଳେ ସରକାରଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ତାକୁ ଆହୁରି ଜଟିଳ କରୁଛି। ଉଭୟ ଜଳସେଚନ ଓ ଶିଳ୍ପାନୁଷ୍ଠାନ ଗୁଡିକର ଚାହିଦା ପୂରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାର ରେ ଯଥେଷ୍ଟ ପାଣି ଅଛି ବୋଲି ସରକାର କହିଥିଲେ। ବର୍ତ୍ତମାନ କହୁଛନ୍ତି, ଜଳଭଣ୍ଡାରର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ, କେନାଲ ବ୍ୟବସ୍ଥାର ସଂପ୍ରସାରଣ କରାଯିବ ଇତ୍ୟାଦି ।
ହୀରାକୁଦ ଜଳଭଣ୍ଡାରର ଆୟୁଷକାଳ ଶହେ ବର୍ଷ ବୋଲି ଆକଳନ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଆବଶ୍ୟକ। ରକ୍ଷଣାବେକ୍ଷଣ ପରିବର୍ତ୍ତେ ଜଳଭଣ୍ଡାର ଚାରିପଟେ ବୃହତ ଶିଳ୍ପାନୁଷ୍ଠାନ ଗଢିବାକୁ ଅନୁମତି ଦିଆ ଯାଉଛି । ସ୍ପଞ୍ଜ ଆଇରନ କାରଖାନା, ଇସ୍ପାତ କାରଖାନା, ଆଲୁମିନିୟମ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଆଦି ଜଳଭଣ୍ଡାର ଚାରିପଟେ ଘେରିବା ଆରମ୍ଭ କଲେଣି । ଏହି ଶିଳ୍ପାନୁଷ୍ଠାନ ଗୁଡିକ କେବଳ ରବି ଋତୁର ତିରୋଟ ସମୟରେ ଜଳ ସଂଗ୍ରହ କରିବେ ତାହା ନୁହେଁ,ବରଂ ଏହି କାରଖାନାଗୁଡିକର ବର୍ଜ୍ୟ ବସ୍ତୁ ମଧ୍ୟ ଜଳଭଣ୍ଡାରରେ ମିଶିବ । କାରଖାନାର ଯେତେ କୋଇଲାଗୁଣ୍ଡ ବାହାରିବ ସେସବୁ କୁଆଡେ ଯିବ ? ଏହି ପ୍ରକ୍ରିୟା ଇବଥର୍ମେଲ ପାଇଁ ଆରମ୍ଭ ହୋଇ ସାରିଲାଣି । ଆମ ପାଖରେ ଯାହା ଅଛି , ତାକୁ ସାଇତି ରଖିବା ଆବଶ୍ୟକ । ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ ।
ହୀରାକୁଦ ଜଳଭଣ୍ଡାରରୁ ଏତେ ପରିମାଣରେ ଶିଳ୍ପକୁ ଜଳଯୋଗାଣ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ଆଶଙ୍କା ଓ କେନାଲ ତଳମୁଣ୍ଡକୁ ପାଣି ମାଡୁ ନ ଥିବା ଆଦି କାରଣ ଯୋଗୁଁ ଯେଉଁ ତୀବ୍ର ଆନ୍ଦୋଳନ ହୋଇଛି ତ ଉପରେ ଆମେ ଚର୍ଚ୍ଚା କରୁଛୁ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ କଣ ତୀବ୍ର ଆନ୍ଦୋଳନର ଆବଶ୍ୟକତା ରହିଛି ?
ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ସେଥିମଧ୍ୟରୁ ହୀରାକୁଦ ଜଲଭଣ୍ଡାରର କ୍ଷମତା ବୃଦ୍ଧି ନିଷ୍ପତ୍ତି ଏକ ଚିନ୍ତାର ବିଷୟ । କେଉଁ ପରିମାଣର ପାଣି ସକାଶେ କ୍ଷମତା ବୃଦ୍ଧି କରାଯିବ ? ପୁଣି କ୍ଷମତା ବୃଦ୍ଧି ପାଇଁ ଯେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସରକାର କିଛି କହୁନାହାନ୍ତି । ସରକାର କିଛି ପ୍ରକାଶ କରିବା ପୂର୍ବରୁ ଜଣେ ଉଚ୍ଚ ପଦସ୍ଥ ଇଞ୍ଜିନିୟର ଏ ସଂକ୍ରାନ୍ତରେ ବିବୃତି ଦେଲେଣି । ତାଙ୍କ କହିବା ଅନୁସାରେ କ୍ଷମତା ବୃଦ୍ଧି ସକାଶେ ୩ ଟି ପ୍ରସ୍ତାବ ରହିଛି । କିନ୍ତୁ କୌଣସି ପ୍ରସ୍ତାବ କାର୍ଯ୍ୟକାରୀ
୨
କରାଯାଇପାରୁନାହିଁ । ଉଚ୍ଚ ସ୍ଥାନକୁ ଖନନ କରି ଗଭୀରତା ସୃଷ୍ଟି କରାଯାଇପାରିବ ନାହିଁ । ପୋତି ହୋଇଥିବା ପଟୁମାଟି କାଢିବା ବ୍ୟୟବହୁଳ ହେବ । ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯାଇପାରିବ ନାହିଁ । ତାଙ୍କ ମତରେ କ୍ଷମତା ବୃଦ୍ଧି କରିବା ଏତେ ସହଜ ନୁହେଁ ଏବଂ ଅସମ୍ଭବ ହେବ।
ଆମ ମତରେ ୩ଟି ଯାକ ପ୍ରସ୍ତାବ ଉଦ୍ଭଟ ଚିନ୍ତାଧାରାରୁ ସୃଷ୍ଟି ।
ଏହି ଧରଣ ଜଳଭଣ୍ଡାରରୁ ପଟୁ ମାଟି କାଢିବା ପାଇଁ , ୨୦୦୨ର ଆକଳନ ଅନୁସାରେ ୨ କୋଟି ୨୨ ଲକ୍ଷ ଟ୍ରକ ପଟୁ ମାଟି ଉଠାଇବାର ଆବଶ୍ୟକତା ଥିଲା ।୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଆମ ମତରେ ଏବେ ୨୦୦୭ରେ ଅନ୍ତତଃ ପକ୍ଷେ ୨୫ ହଜାର କୋଟି ଖର୍ଚ୍ଚ ହୋଇପାରେ। ଏହା ଏକ ଅବାନ୍ତର ପରିକଳ୍ପନା । ହୀରାକୁଦ ବନ୍ଧର ଉଚ୍ଚତା ବୃଦ୍ଧି ଅନ୍ୟ ଏକ ପ୍ରସ୍ତାବ । ଏହା ସ୍ଵପ୍ନରେ ସୁଦ୍ଧା ଚିନ୍ତା କରାଯାଇ ନ ପାରେ । ହୀରାକୁଦ ନଦୀବନ୍ଧ ସର୍ବାଧିକ ୬୩୦ ଫୁଟ ଆର ଏଲ ପର୍ଯ୍ୟନ୍ତ ଜଳ ଧାରଣ ସକାଶେ ଡିଜାଇନ କରାଯାଇଛି ଅଳ୍ପ ସମୟ ସକାଶେ ଅଧିକ ଅଧ ଫୁଟ ପାଣି ରଖାଯାଏ । ତାଠୁ ଅଧିକ ପାଣି ରଖାଯାଇ ପାରିବ ନାହିଁ । ହୀରାକୁଦ ବନ୍ଧ ସୁରକ୍ଷା ସକାଶେ ଆମେ ଡିଜାଇନ ପରିବର୍ତ୍ତନ କରି ପାରିବା ନାହିଁ । ତେଣୁ ଏହି ପ୍ରକାର ଅବାନ୍ତର ପ୍ରସ୍ତାବ ଦେଇ ବିଭ୍ରାନ୍ତି ସୃଷ୍ଟି କରିବା ପରିବର୍ତ୍ତେ ସରକାର ଅଧିକ ବାସ୍ତବ ବାଦୀ ହୁଅନ୍ତୁ ଏବଂ ହୀରାକୁଦ ବନ୍ଧର ସୁରକ୍ଷା ସହିତ ଜଳସେଚନ ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।
• ‘ସମାଜ’ରେ ୧୧ ନଭେମ୍ବର ୨୦୦୭ ରେ ପ୍ରକାଶିତ