Thursday 10 May 2012

Capacity of Hirakud reservoir : Can not be raised

ହୀରାକୁଦ ଜଳଭଣ୍ଡାରର କ୍ଷମତାବୃଦ୍ଧି ଏକ ଅବାନ୍ତର ପରିକଳ୍ପନା ବିଭିନ୍ନ କଳକାରଖାନାଗୁଡିକୁ ହୀରାକୁଦ ଜଳଭଣ୍ଡାରରୁ ଜଳଯୋଗାଣ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନର ସୂତ୍ରପାତ ହୋଇ ସାରିଥିବା ବେଳେ ସରକାରଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ତାକୁ ଆହୁରି ଜଟିଳ କରୁଛି। ଉଭୟ ଜଳସେଚନ ଓ ଶିଳ୍ପାନୁଷ୍ଠାନ ଗୁଡିକର ଚାହିଦା ପୂରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାର ରେ ଯଥେଷ୍ଟ ପାଣି ଅଛି ବୋଲି ସରକାର କହିଥିଲେ। ବର୍ତ୍ତମାନ କହୁଛନ୍ତି, ଜଳଭଣ୍ଡାରର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ, କେନାଲ ବ୍ୟବସ୍ଥାର ସଂପ୍ରସାରଣ କରାଯିବ ଇତ୍ୟାଦି ।

 ସତରେ ଯଦି ଜଳଭଣ୍ଡାରରେ ଯଥେଷ୍ଟ ପଣି ଅଛି, ତାହାହେଲେ ତାହାର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ କାହିଁକି? ଯଦି ଦ୍ଵିତୀୟ ମନ୍ତବ୍ୟଟି ଠିକ, ତାହାହେଲେ ଏତେ ଦିନ ଯାଏ ସରକାର ସତ କହୁ ନ ଥିଲେ। କଲଖାରଖାନାଗୁଡିକୁ ପଣି ଦେବା ପରେ ଜଳାଭାବ ହେତୁ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ ତିରୋଟ ସମୟରେ କେନାଲରେ ପଣି ଯୋଗାଇବା ସମ୍ଭବ ହେବନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ କରାଯାଉଛି ତାକୁ ଦୂର କରିବା ପାଇଁ ସରକାର ପ୍ରସ୍ତାବ ମାଧ୍ୟମରେ ଯେଉଁ ସବୁ ଆଶ୍ଵାସନା ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅବାସ୍ତବ । ଉକ୍ତ ପ୍ରସ୍ତାବଗୁଡିକ ଉତଭାତ ଚିନ୍ତାରୁ ସୃଷ୍ଟି । ହୀରାକୁଦ ଜଳଭଣ୍ଡାର ନିର୍ମାଣ ପୂର୍ବରୁ ଏହି ଜଳଭଣ୍ଡାରରେ ଯେତେ ପଟୁମାଟି ଭର୍ତ୍ତିହେବ ବୋଲି ଆକଳନ କରଯାଇଥିଲା, ତାର ଦୁଇଗୁଣରୁ ଉର୍ଦ୍ଧ୍ଵ ପଟୁମାଟି ଭର୍ତ୍ତି ହୋଇ ସାରିଲାଣି । ପଟୁମାଟି ଭର୍ତିହେବା ସ୍ଵାଭାବିକ। କିନ୍ତୁ ଦୁଇ ଗୁଣରୁ ଉର୍ଦ୍ଧ୍ଵ ପଟୁମାଟି ଭର୍ତ୍ତି ହେବା ସ୍ଵାଭାବିକ ହୋଇ ନ ପାରେ । ଜଙ୍ଗଲ ନଷ୍ଟ ହୋଇ ମୃତ୍ତିକା କ୍ଷୟ ଯୋଗୁଁ ଭବିଷ୍ୟତରେ ଆହୁରି ପଟୁମାଟି ଭର୍ତି ହୋଇଯିବାର ଆଶଙ୍କା ରହିଛି ।

 ହୀରାକୁଦ ଜଳଭଣ୍ଡାରର ଆୟୁଷକାଳ ଶହେ ବର୍ଷ ବୋଲି ଆକଳନ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଆବଶ୍ୟକ। ରକ୍ଷଣାବେକ୍ଷଣ ପରିବର୍ତ୍ତେ ଜଳଭଣ୍ଡାର ଚାରିପଟେ ବୃହତ ଶିଳ୍ପାନୁଷ୍ଠାନ ଗଢିବାକୁ ଅନୁମତି ଦିଆ ଯାଉଛି । ସ୍ପଞ୍ଜ ଆଇରନ କାରଖାନା, ଇସ୍ପାତ କାରଖାନା, ଆଲୁମିନିୟମ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଆଦି ଜଳଭଣ୍ଡାର ଚାରିପଟେ ଘେରିବା ଆରମ୍ଭ କଲେଣି । ଏହି ଶିଳ୍ପାନୁଷ୍ଠାନ ଗୁଡିକ କେବଳ ରବି ଋତୁର ତିରୋଟ ସମୟରେ ଜଳ ସଂଗ୍ରହ କରିବେ ତାହା ନୁହେଁ,ବରଂ ଏହି କାରଖାନାଗୁଡିକର ବର୍ଜ୍ୟ ବସ୍ତୁ ମଧ୍ୟ ଜଳଭଣ୍ଡାରରେ ମିଶିବ । କାରଖାନାର ଯେତେ କୋଇଲାଗୁଣ୍ଡ ବାହାରିବ ସେସବୁ କୁଆଡେ ଯିବ ? ଏହି ପ୍ରକ୍ରିୟା ଇବଥର୍ମେଲ ପାଇଁ ଆରମ୍ଭ ହୋଇ ସାରିଲାଣି । ଆମ ପାଖରେ ଯାହା ଅଛି , ତାକୁ ସାଇତି ରଖିବା ଆବଶ୍ୟକ । ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ । ହୀରାକୁଦ ଜଳଭଣ୍ଡାରରୁ ଏତେ ପରିମାଣରେ ଶିଳ୍ପକୁ ଜଳଯୋଗାଣ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ଆଶଙ୍କା ଓ କେନାଲ ତଳମୁଣ୍ଡକୁ ପାଣି ମାଡୁ ନ ଥିବା ଆଦି କାରଣ ଯୋଗୁଁ ଯେଉଁ ତୀବ୍ର ଆନ୍ଦୋଳନ ହୋଇଛି ତ ଉପରେ ଆମେ ଚର୍ଚ୍ଚା କରୁଛୁ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ କଣ ତୀବ୍ର ଆନ୍ଦୋଳନର ଆବଶ୍ୟକତା ରହିଛି ? ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ସେଥିମଧ୍ୟରୁ ହୀରାକୁଦ ଜଲଭଣ୍ଡାରର କ୍ଷମତା ବୃଦ୍ଧି ନିଷ୍ପତ୍ତି ଏକ ଚିନ୍ତାର ବିଷୟ । କେଉଁ ପରିମାଣର ପାଣି ସକାଶେ କ୍ଷମତା ବୃଦ୍ଧି କରାଯିବ ? ପୁଣି କ୍ଷମତା ବୃଦ୍ଧି ପାଇଁ ଯେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସରକାର କିଛି କହୁନାହାନ୍ତି । ସରକାର କିଛି ପ୍ରକାଶ କରିବା ପୂର୍ବରୁ ଜଣେ ଉଚ୍ଚ ପଦସ୍ଥ ଇଞ୍ଜିନିୟର ଏ ସଂକ୍ରାନ୍ତରେ ବିବୃତି ଦେଲେଣି । ତାଙ୍କ କହିବା ଅନୁସାରେ କ୍ଷମତା ବୃଦ୍ଧି ସକାଶେ ୩ ଟି ପ୍ରସ୍ତାବ ରହିଛି । କିନ୍ତୁ କୌଣସି ପ୍ରସ୍ତାବ କାର୍ଯ୍ୟକାରୀ ୨ କରାଯାଇପାରୁନାହିଁ । ଉଚ୍ଚ ସ୍ଥାନକୁ ଖନନ କରି ଗଭୀରତା ସୃଷ୍ଟି କରାଯାଇପାରିବ ନାହିଁ । ପୋତି ହୋଇଥିବା ପଟୁମାଟି କାଢିବା ବ୍ୟୟବହୁଳ ହେବ । ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯାଇପାରିବ ନାହିଁ । ତାଙ୍କ ମତରେ କ୍ଷମତା ବୃଦ୍ଧି କରିବା ଏତେ ସହଜ ନୁହେଁ ଏବଂ ଅସମ୍ଭବ ହେବ। ଆମ ମତରେ ୩ଟି ଯାକ ପ୍ରସ୍ତାବ ଉଦ୍ଭଟ ଚିନ୍ତାଧାରାରୁ ସୃଷ୍ଟି । 

ଏହି ଧରଣ ଜଳଭଣ୍ଡାରରୁ ପଟୁ ମାଟି କାଢିବା ପାଇଁ , ୨୦୦୨ର ଆକଳନ ଅନୁସାରେ ୨ କୋଟି ୨୨ ଲକ୍ଷ ଟ୍ରକ ପଟୁ ମାଟି ଉଠାଇବାର ଆବଶ୍ୟକତା ଥିଲା ।୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଆମ ମତରେ ଏବେ ୨୦୦୭ରେ ଅନ୍ତତଃ ପକ୍ଷେ ୨୫ ହଜାର କୋଟି ଖର୍ଚ୍ଚ ହୋଇପାରେ। ଏହା ଏକ ଅବାନ୍ତର ପରିକଳ୍ପନା । ହୀରାକୁଦ ବନ୍ଧର ଉଚ୍ଚତା ବୃଦ୍ଧି ଅନ୍ୟ ଏକ ପ୍ରସ୍ତାବ । ଏହା ସ୍ଵପ୍ନରେ ସୁଦ୍ଧା ଚିନ୍ତା କରାଯାଇ ନ ପାରେ । ହୀରାକୁଦ ନଦୀବନ୍ଧ ସର୍ବାଧିକ ୬୩୦ ଫୁଟ ଆର ଏଲ ପର୍ଯ୍ୟନ୍ତ ଜଳ ଧାରଣ ସକାଶେ ଡିଜାଇନ କରାଯାଇଛି ଅଳ୍ପ ସମୟ ସକାଶେ ଅଧିକ ଅଧ ଫୁଟ ପାଣି ରଖାଯାଏ । ତାଠୁ ଅଧିକ ପାଣି ରଖାଯାଇ ପାରିବ ନାହିଁ । ହୀରାକୁଦ ବନ୍ଧ ସୁରକ୍ଷା ସକାଶେ ଆମେ ଡିଜାଇନ ପରିବର୍ତ୍ତନ କରି ପାରିବା ନାହିଁ । ତେଣୁ ଏହି ପ୍ରକାର ଅବାନ୍ତର ପ୍ରସ୍ତାବ ଦେଇ ବିଭ୍ରାନ୍ତି ସୃଷ୍ଟି କରିବା ପରିବର୍ତ୍ତେ ସରକାର ଅଧିକ ବାସ୍ତବ ବାଦୀ ହୁଅନ୍ତୁ ଏବଂ ହୀରାକୁଦ ବନ୍ଧର ସୁରକ୍ଷା ସହିତ ଜଳସେଚନ ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।


 • ‘ସମାଜ’ରେ ୧୧ ନଭେମ୍ବର ୨୦୦୭ ରେ ପ୍ରକାଶିତ